Unknown

 

 

 

 

 

 

 

 

 

ଚଣ୍ତୀମାଳଶ୍ରୀ

ଶ୍ରୀ ବ୍ରଜନାଥ ବଡ଼ଜେନା

 

ଶ୍ରୀ ଦୁର୍ଗାୟୈଃ ନମଃ

 

ଘୋଷା-ଜୟ ଈଶାନ ମନମୋହିନୀ ମାହେଶ୍ୱରୀ

ଶ୍ମଶାନ ସ୍ଥାନ ଚାରିଣୀ,

ପୁଣି ବିଷମ ବିଷୟ ବାଧା ହାରିଣୀ । ପଦ ।

ମାଗୋ ବିଷ୍ଣୁ କାନମଳୁଁ ସମ୍ଭବ ହୋଇ

ମଧୁ କୈଟଭ ଦୈତ୍ୟ ବେନି ଭାଇ

ବ୍ରହ୍ମାଙ୍କୁ ବିନାଶିବାକୁ ଧାଇଁଲେ

ପୁଣି, ଯୋଗନିଦ୍ରାରେ ତୋତେ ସ୍ତୁତି କଲେ ।

 

ଚାଲି— ସୃଷ୍ଟିକାରାଣୀ, କଷ୍ଟହାରିଣୀ, ଦୁଷ୍ଟ ଦୈତ୍ୟ ବିନାଶିନୀ

ଭୁବନଭାରା ନିବାରିଣୀ ଜନତାରିଣୀ ଖଳଧ୍ୱଂସିନୀ

ଯୋଗ ଶୟନ ତୁ ଭଙ୍ଗ କରି

ହରି ହାତେ ଖଣ୍ତିଲୁ ସେ ବେନି

ପୁଣି, ଅତି ଉଶ୍ୱାସ ହୋଇଲା ଅବନି । ୧ ।

 

ପୁଣି ମହିଷାସୁର ଉପୁଜିଲା

ଅହିପୁର ମହି ସ୍ୱର୍ଗ ଭାଙ୍ଗିଲା

ସକଳ ସୁର ଶକ୍ତି ଶସ୍ତ୍ର ଘେନି

ପୁଣି, ହିମାଚଳ ଦେଖା ଦେଲୁ ଜନନୀ ।

 

ଚାଲି— ଚାହିଁ ମହିଷ ବିମୋହିତେ

ବଳବାହି ଧାଇଁ ତୋ ପାଶ ଯେ

କ୍ରୁଦ୍ଧ ହୋଇ ସେ ପ୍ରସିଦ୍ଧ ଦାନବ

ଯୁଦ୍ଧ କରଇ ବିଶେଷ ଯେ

ବଧ୍ୟ କରି ମହୀ ମଧ୍ୟରେ ଯଶ ଥୋଇଲୁ ହରି ପ୍ରାସ ଯେ

ପୁଣି, ସ୍ତୁତିରେ ତୋତେ ଦେବେ କଲେ ତୋଷ । ୨ ।

ତଦନ୍ତେ କେତେକାଳ ଗଲା ବହି

ଶୁମ୍ଭ ନିଶୁମ୍ଭ ହେଲେ ବେନି ଭାଇ

ବ୍ରହ୍ମା ଇନ୍ଦ୍ର ତାଙ୍କୁ ବଳେ ଖଟିଲେ

ପୁଣି, ସ୍ୱର୍ଗ ଅପବର୍ଗ ସର୍ବ ଲୁଟିଲେ ।

ଚାଲି— ହସ୍ତୀ, ଅଶ୍ୱ, ବିମାନ, ଚାମର, ଛତ୍ର, ଶସ୍ତ୍ର ବିତାନକୁ

ତ୍ରିପୁର ଦୁର୍ଲଭ ଯତ୍ନ ରତ୍ନ ସେ ଆଣିଲେ ନିଜ ସ୍ଥାନକୁ

ଗର୍ବୀ ଦାନବ ଉର୍ବୀରେ ଭ୍ରମି ଚର୍ବିଲେ ଜନମାନଙ୍କୁ

ପୁଣି, ହେଲୁ ଉଦ୍ଭବ ଦୈତ୍ୟ ନିଦାନକୁ । ୩ ।

ତୋତେ ନେବାକୁ ସେ ପେଶିଲା ଦୂତ

ବୋଇଲୁ ଯୁଦ୍ଧେ ଜିଣି ହୋଉ କାନ୍ତ

ଧୂମ୍ରଲୋଚନକୁ କ୍ରୋଧେ ପେଶିଲା

ପୁଣି , ସେହୁ ହୁଙ୍କାରେ ଯହୁଁ ଭସ୍ମ ହେଲା

 

ଚାଲି — ରୁଣ୍ତ କରିଣ ପ୍ରଚଣ୍ତ ବଳ ଚଣ୍ତ ମୁଣ୍ତ ଯେ ଆସିଲେ

ଦଣ୍ତକେ ମହୀମଣ୍ତଳ ନବଖଣ୍ତଯାକହିଁ ଗ୍ରାସିଲେ ।

ଷଣ୍ଢ ବାହନ ମୋହିନୀ ତୋର ଚଣ୍ତମୂର୍ତ୍ତି ପ୍ରକାଶିଲୁ ।

ପୁଣି, ଦଣ୍ତଧରପୁରେ ତାକୁ ପେଶିଲୁ । ୪ ।

 

ଯୁଦ୍ଧ କଲା ପୁଣି ସେ ରକ୍ତବୀର୍ଯ୍ୟ

ବାଜନ୍ତେ ଚକ୍ର ତ୍ରିଶୂଳ ନାରାଜ

ରକ୍ତ ବିନ୍ଦୁରୁ ତାର ବଳ ତେଜେ

ପୁଣି, ଜାତ ହେଲେ ଶତଶତ ଦନୁଜେ ।

 

ଚାଲି— ପୃଥ୍ୱୀଗଗନେ ପ୍ରସାରି ପାଟିକି ଚାଟି ଲୋହିତ ବିନ୍ଦୁକୁ ।

କ୍ଷୀଣରକ୍ତରେ ଟାଣ ଭାଙ୍ଗିଣ ପ୍ରାଣେ ମାଇଲୁ ମନ୍ଦକୁ ।

କୋପେ ଶୁମ୍ଭ ନିଶୁମ୍ଭ ଆସନ୍ତି ସାଜି ଦଳବଳ ବୃନ୍ଦକୁ ।

ପୁଣି,କରିବାକୁ ତୋ ସଙ୍ଗରେ ଦ୍ୱନ୍ଦ୍ୱକୁ । ୫ ।

 

ଅସୁରକୁଳ ବଧିବାକୁ ଯୁଦ୍ଧେ

ଅଙ୍ଗୁ ତୋ ଗଣ ଜାତକଲୁ କ୍ରୋଧେ

ବିବୁଧ ଶକ୍ତି ବିବିଧ ଆୟୁଧେ

ପୁଣି, ଘୋଟିଲା ତାଙ୍କ ତେଜ ପୃଥ୍ୱୀ ମଧ୍ୟେ ।

 

ଚାଲି— ବଜ୍ର ଧରିଣ ବିରାଜେ(ଅତି) ଗଜରାଜ କନ୍ଧରେ ବାସବୀ ।

ହସଂଗତି କୁଶପାଣି ବ୍ରାହ୍ମଣୀ ଗରୁଡ଼ଗାମିନୀ ବୈଷ୍ଣବୀ ।

ନାରସିଂହୀ ବରାହରୂପିଣୀ ବୃଷଭାରୁଢ଼ା ଭବବଲ୍ଲଭୀ ।

ପୁଣି, ମୟୂରବାହିନୀ କୁମାରୀ ଦେବୀ । ୬ ।

 

କିଳିକିଳାନାଦ ପ୍ରବଳ ରଡ଼ି

କି ସେ ପ୍ରଳୟ ମେଘ ଘଡ଼ଘଡ଼ି

ପଶୁପରାୟେ ଅସୁରଙ୍କୁ ମୋଡ଼ି

ପୁଣି, ଗ୍ରାସ କରନ୍ତି ମାଂସ ହାଡ଼ ନାଡ଼ୀ ।

 

ଚାଲି— କୋଳରୂପିଣୀ ଚାପେ ଦାନବ ବିକଟ ରଟ ରଟ ଦନ୍ତରେ

ନାରସିଂହୀ ବିଦାରେ ଅନ୍ତକୁ ତୀକ୍ଷତର ନଖ କୁନ୍ତରେ

ବ୍ରାହ୍ମଣୀ ଶକ୍ତି କମଣ୍ତଳୁଁ କୁଶପାଣୀ କ୍ଷେପଇ ମନ୍ତ୍ରରେ

ପୁଣି, ଭକ୍ଷନ୍ତି ରାକ୍ଷସଙ୍କୁ ନିରନ୍ତରେ । ୭ ।

 

ଲୋହିତର ନଦୀ ବହି ତ ଗଲା

ମହି ତଳ ଅସ୍ଥି ଗଳ ପୂରିଲା

ନୃତ୍ୟ କଲେ କେତେ କବନ୍ଧକୁଳ

ପୁଣି, ଗୀତ ବୀରବାଦ୍ୟ ନାଦ ପ୍ରବଳ ।

 

 

ଚାଲି— ତାତା ଥୈ ଥୈ ଥୈକ ଥୈକଟ ଧ୍ରିମିକି ଧ୍ରିମି ଧ୍ରିମି ଧିଧିନା

ଝନନ୍ ଝନ୍‌ଝନ୍ ଝଂକ ଝଂକୃତ ଝ୍ରୁ ଝ୍ରୁଁ ଝ୍ରୁମୁ ଝ୍ରୁମୁ ଝଂଝନା

ଜୟ ତୁ ଜୟ ଭୟହାରିଣୀ ସୁଖକାରିଣୀ ଶିବଅଙ୍ଗନା,

ପୁଣି, ଶିବା ଭୋ ଭୋ ରାବ ନୋହେ କଳନା । ୮ ।

 

ନିଶ୍ଚମ୍ଭ କଲା ଅସମ୍ଭବ ରଣ

ଦିଗ ରୁନ୍ଧିଦେଲା ବିନ୍ଧିଣ ବାଣ

ଡ଼ରିଲେ ସୁରପୁରରେ ଗୀର୍ଦ୍ଦାଣ

ପୁଣି, ନ୍ତ୍ରାଣକଲୁ କ୍ଷୌଣୀ ଘେନି ତା ପ୍ରାଣ ।

 

ଚାଲି— ସୁମ୍ଭ ଅସୁର ଅଦମ୍ଭ ହୋଇ କହେ ବହୁତ ଦେବି ତୋ ସଙ୍ଗରେ

ତାଙ୍କୁ ବଳକରି ପ୍ରବଳ ହୋଇଣ ତୁ ଦନୁଜ ଦଳୁଅଛୁ ରଙ୍ଗରେ

ଯୁଦ୍ଧକଲେ ତୋର ମୋର

ତୋତେ ମୁଁ ଅବଧି ବଧିବି ଏ ଲାଗରେ ।

ପୁଣି, ଶୁଣି ଶକ୍ତି ସଂହରିଲୁ ଅଙ୍ଗରେ । ୯ ।

 

ଜାତହେଲା ଅଚମ୍ବିତ ତୁମୂଳ

ଥରିଲା ଧରିତ୍ରି ସ୍ୱର୍ଗ ପାତାଳ

ଡ଼ରିଲେ ସୁର ମୁନି ଋଷି କୁଳ

ପୁଣି,ଜଳଧି ଉଛୁଳେ ହୋଇ ଆକୁଳ ।

 

ଚାଲି— ଚାହୁଁ ଚାହୁଁ ସେ ରାହୁପରି

ଘୋଟି ଓଷ୍ଠ ଦଶନରେ ଚାପିଲା

ବାହୁବଳେ ତୋତେ ଧରି ଧରଣୀରୁ ଗଗନମଣ୍ତଳେ କ୍ଷେପିଲା

ଧନ୍ୟ ଧନ୍ୟ ସେ ଶୂନ୍ୟଯୁଦ୍ଧରେ ଭବ ଭୟଭରେ କମ୍ପିଲା

ପୁଣି, କଚାଡ଼ି ଶୂଳ ମାଇଲୁ ସେ ମଲା । ୧୦ ।

 

ଅତି ଉଶ୍ୱାସ ହେଲା ବସୁମତି

ସୁରେ ସ୍ୱର୍ଗରେ ଭୁଞ୍ଜିଲେ ଆହୁତି

ସନ୍ତୋଷ ହେଲେ ଋଷି ମୁନି ଯତି

ପୁଣି, ବନ୍ଦୀ ଆନନ୍ଦେ କଲେ ନାନା ସ୍ତୁତି ।

 

ଚାଲି— ସ୍ଥୂଳସୂକ୍ଷ୍ମ ଅତୀତରୂପିଣୀ ମୂଳପ୍ରକୃତି ସଦାଶିବେ

କାଳଖଣ୍ତିନୀ ମୁଣ୍ତମଣ୍ତିନୀ ହେମପର୍ବତ ସମ୍ଭବେ

ପଙ୍କଜାନନୀ ପଙ୍କନାଶିନୀ ଜୟ ତୁ ଶଙ୍କରବଲ୍ଲଭେ

ପୁଣି, ବ୍ରଜନାଥକୁ ଦୟାକର ଏବେ । ୧୧ ।

 

Image